An IIPM Initiative
ବୁଧବାର, ଜୁନ 19, 2013
 
 

‘ଡାହୁକ ବୋଲି'-ସତରେ କ'ଣ ଅଶ୍ଳୀଳ?

 

ଧୃତିକାମ ମହାନ୍ତି | Issue Dated: ଜୁଲାଇ 24, 2011
 

ଯଦି ଡାହୁକ ବୋଲି ଅଶ୍ଳୀଳ, ତେବେ ମନ୍ଦିର ଗାତ୍ରରେ ଥିବା ମୈଥୁନ ମୁଦ୍ରାର ମୂର୍ତ୍ତିଗୁଡିକ ଉପରେ ପ୍ଲାଷ୍ଟର ମାରି ଦିଆଯାଉ। କୌଣସି ପରମ୍ପରା ଉପରେ ଅଙ୍କୁଶ ଲଗାଯିବା ପୂର୍ବରୁ ଏହା ପଛରେ ଥିବା ଅନ୍ତର୍ନିହିତ କାରଣ ବୁଝିବା ଦରକାର। ପାରମ୍ପରିକ ଡାହୁକ ବୋଲି ଉପରେ ଶ୍ରୀମନ୍ଦିର ପ୍ରଶାସନର କଟକଣା କେତେ ଯଥାର୍ଥ, ଏ ପ୍ରଶ୍ନର ଉତ୍ତରରେ ଉପରୋକ୍ତ ମତ ଦିଅନ୍ତି ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦଶେକ ତଥା ଶ୍ରୀକ୍ଷେତ୍ରର ବର୍ଷୀୟାନ୍
 ବାସିନ୍ଦା ପ୍ରଫୁଲ୍ଲ କର। ଅନୁରୂପ ମତାମତ ଦିଅନ୍ତି ପୁରୀ ପୋଖରିଆ ସାହିର ବାସିନ୍ଦା ତଥା ସାହିତିୟକ ତରୁଣ ତପନ ମହାନ୍ତି। ସେ କହନ୍ତି, ‘ମୋ ମତରେ ପୂର୍ବ ପ୍ରଚଳିତ ଡ଼ାହୁକ ବୋଲିକୁ ସଂପୂର୍ଣ୍ଣ ନିଷେଧ କରିବାର ଯଥାର୍ଥତା ନାହିଁ। ମନ୍ଦିର ପ୍ରଶାସନ ଚାହିଁଥିଲେ ଏହାର ଅଶ୍ଳୀଳତା ଉପରେ  ଅଙ୍କୁଶ ଲଗାଇ ପାରିଥାଆନ୍ତେ। ମାତ୍ର ମୋର ବ୍ୟକ୍ତିଗତ ମତ ହେଲା, ଡ଼ାହୁକ ବୋଲି କୌଣସି ପ୍ରକାରେ ଅଶ୍ଳୀଳ ନୁହେଁ । ମୁଁ ପିଲାଦିନୁ ରଥଯାତ୍ରା ଦେଖିଆସିଛି, କେବେ ବି କୌଣସି ମହିଳା ଏହାକୁ ନେଇ ଆପତ୍ତି ଉଠାଇବା  ଦେଖିନାହିଁ। ବରଂ ମୁଁ ଦେଖିଛି, ରଥଯାତ୍ରା ଦିନ ବଡ଼ଦାଣ୍ଡର ଦୁଇ ପାର୍ଶ୍ୱରେ ଛାତ ଉପରେ ଠିଆ ହୋଇଥିବା ମହିଳା ଓ ସୁନ୍ଦରୀ ଯୁବତୀଙ୍କ ମନରେ ଇଚ୍ଛାଟିଏ ଥାଏ- ତାଙ୍କୁ  ଦେଖି ଡ଼ାହୁକ କିଛି କହନ୍ତାନି! ଆଉ ଯଦି ସଂଯୋଗ ବଶତଃ ଡ଼ାହୁକ ସେମାନଙ୍କୁ ଇଙ୍ଗିତ କରି ବୋଲିଟିଏ ମାରେ, ତେବେ ସେମାନେ ହସି ହସି ଲୁଚିଯାଆନ୍ତି କିମ୍ବା ମୁହଁକୁ ଓଢ଼ଣାରେ ଢ଼ାଙ୍କି ଦିଅନ୍ତି।’ପାରମ୍ପରିକ ଡ଼ାହୁକ ବୋଲିକୁ ସଂପୂର୍ଣ୍ଣ ବନ୍ଦ କରିବାକୁ ଶ୍ରୀମନ୍ଦିର ମନ୍ଦିର ପ୍ରଶାସନକୁ ପ୍ରାୟ ତିନି ବର୍ଷ ଲାଗିଯାଇଥିଲା।

1994 ମସିହା ଡିସେମ୍ବର 12 ତାରିଖରେ ପ୍ରଥମେ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ମୋଟାମୋଟି 1997 ମସିହାରୁ ପାରମ୍ପରିକ ଡାହୁକ ବୋଲି ବନ୍ଦ ରହିଲା। (ପୂର୍ବ ରିପୋର୍ଟରେ ସବିଶେଷ ବର୍ଣ୍ଣିତ) ଜଗନ୍ନାଥ ସଂସ୍କୃତିର ଗବେଷକ ତଥା  ନାଟ୍ୟକାର ନିର୍ମଳ ମିଶ୍ର ଦୃଢ଼ ଭାବେ ମନ୍ଦିର ପ୍ରଶାସନର  ଏହି ପଦକ୍ଷେପକୁ ନିନ୍ଦା କରନ୍ତି। ଶପାରମ୍ପରିକ ଡ଼ାହୁକ ବୋଲି ଆଦୌ ଅଶ୍ଳୀଳ ନୁହେଁ ପ୍ରଶାସନିକ ଦାୟିତ୍ୱରେ  ଥିବା ବାବୁମାନେ ଏହା ବୁଝିବାକୁ ଚେଷ୍ଟା  କଲେନି ବା ସବୁ ବୁଝି ଅବୁଝା ରହିବାର ଅଭିନୟ  କଲେ। ଏହାର ଗୁଢ଼ ଅର୍ଥ ରହିଛି,ତଏକଥା କହନ୍ତି  ଶ୍ରୀ ମିଶ୍ର। ଏକ ବହୁ ପ୍ରଚଳିତ ପାରମ୍ପରିକ ବୋଲି  ସେ ବଖାଣନ୍ତି: ଶହୋ...ଭଗତେ, ରଥ ଚାଲେ ଘୁଁ, ଚକ ଚାଲେ ଘୁଁ, ଯାହା ମୁଣ୍ଡରେ ସିନ୍ଦୂର ଟୋପା, ତା’ ଘଇତା ମୁଁ।

‘ଉପରୋକ୍ତ ପଂକ୍ତି କୌଣସି ବିବାହିତା ମହିଳାଙ୍କୁ  ଆକ୍ଷେପ କରି କୁହାଯାଇନାହିଁ। ବରଂ ଏହା ଶ୍ରୀକ୍ଷେତ୍ରର ତାନ୍ତ୍ରିକ ମହଉa ପ୍ରତିପାଦିତ କରେ। ତନ୍ତ୍ରମତରେ ଶ୍ରୀକ୍ଷେତ୍ରରେ ସମସ୍ତେ ଭୈରବୀ ଅର୍ଥ।ତ ମା’ ବିମଳାଙ୍କ 
ସାଧକ। ଆଉ ଜଗନ୍ନାଥ ହେଉଛନ୍ତି ମହାଭୈରବ।ଶ୍ରୀକ୍ଷେତ୍ରରେ ସମସ୍ତେ ନାରୀ ଏବଂ ଜଗନ୍ନାଥ ହେଉଛନ୍ତି ଏକମାତ୍ର ପୁରୁଷ। ଏହି ବୋଲିଟି ଭୈରବୀମାନଙ୍କ ଉଦ୍ଦେଶ୍ୟରେ କୁହାଯାଇଛି। ଏଥିରେ ଅଶ୍ଳୀଳତା ରହିଲା କେଉଠି?' ଯୁକ୍ତି ବାଢ଼ନ୍ତି ନିର୍ମଳ ମିଶ୍ର।  ମୋଟାମୋଟି ଭାବେ ପାରମ୍ପରିକ ବୋଲିଗୁଡିକର ଯେ ଆଧ୍ୟାତ୍ମିକ ତାତ୍ପର୍ଯ୍ୟ ରହିଛି ଏହାକୁ ଅସ୍ୱୀକାର କରାଯାଇ ପାରିବ ନାହିଁ।  ଅନେକ ଡ଼ାହୁକ ବୋଲି  ପିଣ୍ଡବ୍ରହ୍ମାଣ୍ଡ ତତ୍ତ୍ୱ, ଚକ୍ରତତ୍ତ୍ୱ ଓ ତନ୍ତ୍ରତତ୍ତ୍ୱ  ଉପରେ ଆଧାରିତ ପ୍ରାଚୀନ ସାନ୍ଧ୍ୟଭାଷାରେ ଲିଖିତ ହୋଇଥିବାବେଳେ ଆଉ କେତେକ ଯୌନ ଉଦ୍ଦୀପକଧର୍ମୀ କଥିତ ଭାଷାରେ ପରିପ୍ରକାଶ ଲାଭ କରିଛି। ତେବେ ପ୍ରସଙ୍ଗ ହେଉଛି,ଏହାକୁ ଅଶ୍ଳୀଳ କୁହାଯିବ କି? ବର୍ଷୀୟାନ୍ ସଂଗୀତ ନିର୍ଦ୍ଦଶେକ ପ୍ରଫୁଲ୍ଲ କର ଡ଼ାହୁକ ବୋଲି ଅଶ୍ଳୀଳ ନୁହେଁ ବୋଲି ଦୃଢ଼ ଯୁକ୍ତି ବାଢ଼ନ୍ତି ‘ଡାହୁକ ବୋଲି ଦ୍ୱିଅର୍ଥ ବୋଧକ ସତ କିନ୍ତୁ ଏହା ଶରୀର ତତ୍ତ୍ୱ ଓ ପିଣ୍ଡ ବ୍ରହ୍ମାଣ୍ଡ ତତ୍ତ୍ୱ ସଂପର୍କରେ ଜନମାନସରେ ସଚେତନତା ସୃଷ୍ଟି କରିବା ଲାଗି ଉଦ୍ଦିଷ୍ଟ। ଅଶ୍ଳୀଳ କହି ଏହାର ତାତ୍ପର୍ଯ୍ୟ ଓ ସାମାଜିକ ପ୍ରାସଙ୍ଗିକତାକୁ ମୂଲ୍ୟହୀନ କହିବା ଅଯୌକ୍ତିକ।’ 

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଯେତେବେଳେ ଶ୍ରୀମନ୍ଦିର ପ୍ରଶାସନ ଏହି ପରମ୍ପରା ଉପରେ ଅଙ୍କୁଶ ଲଗାଇଲେ ସେତେବେଳେ ରଥର ଦଇତାମାନେ ଏହାକୁ ବିରୋଧ କରିଥିଲେ। ପୁରୀର ଅନେକ ବରିଷ୍ଠ ନାଗରିକ ଓ ଗବେଷକ ମଧ୍ୟ ଏହି ପରମ୍ପରା ଚାଲୁ ରହିବା ସପକ୍ଷରେ ମତ ଦେଇଥିଲେ। ତେବେ ଦଇତା ସେବକ ରାମଚନ୍ଦ୍ର ଦାସ ମହାପାତ୍ର କହନ୍ତି, ପୁରୁଣା ବୋଲିର  ପରମ୍ପରା ବନ୍ଦ ହୋଇଯାଇ ନାହିଁ। ଏବେ ବି ଦ୍ୱିଅର୍ଥବୋଧକ ବୋଲି ଚାଲିଛି। କିନ୍ତୁ ନିର୍ଦ୍ଦିଷ୍ଟ ଭାବେ ମହିଳା ଓ ଯୁବତୀ କିମ୍ବା ପୋଲିସଙ୍କୁ ଆକ୍ଷେପ କରି କୁହାଯାଉଥିବା ବୋଲି କହିବା ବନ୍ଦ ହୋଇଯାଇଛି। ଏହା ପ୍ରଶାସନର ଏକପାଖିଆ ନିଷ୍ପତ୍ତି ନୁହେଁ, ଡ଼ାହୁକ ପରିବାରଗୁଡ଼ିକ ସହ ଆଲୋଚନା କରିବା ପରେ ଏଥିରେ ପରିବର୍ତ୍ତନ ଅଣାଯାଇଥିଲା।ଗବେଷକ ଡ. ସୁରେନ୍ଦ୍ର କୁମାର ମିଶ୍ର ମଧ୍ୟ ଏହି ପରମ୍ପରା ଚାଲୁ ରହିବା ସପକ୍ଷରେ ଦୃଢ ମତ ପୋଷଣ କରନ୍ତି।

‘ଡାହୁକବୋଲିର ଭାଷା ଥିଲା ଜନପଦୀୟ ଭାଷା, ଯାହା ତତ୍କାଳୀନ ଓଡ଼ିଶାରେ ବିକାଶ ଲାଭ କରିଥିଲା। ଆଉ ଏହା ହେଉଛି ତତ୍କାଳୀନ ସମୟରେ ପ୍ରଚଳିତ ବିଭିନ୍ନ କଥିତ ଭାଷାର ଏକ ସମ୍ମିଳିତ ପରିପ୍ରକାଶ। ଆଉ ଡାହୁକମାନେ ହେଉଛନ୍ତି ପିଣ୍ଡ-ବ୍ରହ୍ମାଣ୍ଡ ତତ୍ତ୍ୱର ପ୍ରଚାରକ। ତେଣୁ ଏହା ଅଶ୍ଳୀଳ ବୋଲି ମୁଁ ଆଦୌ ଗ୍ରହଣ କରିପାରୁନାହିଁ,' କହନ୍ତି ଡ. ମିଶ୍ର। ଏବର ଡାହୁକମାନେ ଯଦିଓ ସୁନାପୁଅ ପରି ପ୍ରଶାସନ ନିଷ୍ପତ୍ତିକୁ ମାନି ନେଇଛନ୍ତି, ତଥାପି ସେମାନଙ୍କ ଭିତରେ ସେହି ପୁରୁଣା ବୋଲି ପ୍ରତି ମମତ୍ବବୋଧ ରହିଛି। ନିଜ ନାମ ଗୋପନ ରଖିବା ସର୍ତ୍ତରେ ଜନୈକ ଡାହୁକ କହନ୍ତି, ‘ପୁରୁଣା ବୋଲି ଗାଇଲା ବେଳେ ଆମେ ଲକ୍ଷ୍ୟ କରିଛୁ, କି ଲୋକଙ୍କ ଭିତରେ ବେଶ୍ ଉତ୍ସାହ ସୃଷ୍ଟି ହେଉଥିଲା। ଆମେ କ'ଣ କହୁଛୁ ତାହା ଶୁଣିବା ପାଇଁ ସେମାନେ କାନୋଉଥିଲେ ଓ ମନଭରି ଉପଭୋଗ କରୁଥିଲେ।’‘ଅତୀତରେ  ପ୍ରଚଳିତ ଡାହୁକ ବୋଲିର ସାମାଜିକ ଗ୍ରହଣୀୟତା ଥିଲା। ଏହା ଉପଭୋଗ୍ୟ ଓ ହାସ୍ୟରସାତ୍ମକ ଥିଲା, ମାରାତ୍ମକ ନଥିଲା। ଯେଉମାନଙ୍କର ବିକୃତ ମାନସିକତା, ପରମ୍ପରା ପ୍ରତି ପ୍ରୀତି ନାହିଁ ସେମାନେ ହିଁ ଶହଶହ ବର୍ଷ ଧରି ପ୍ରଚଳିତ ପରମ୍ପରାକୁ ବନ୍ଦ କରିଛନ୍ତି। ମୁଁ ସେମାନଙ୍କୁ କାପୁରୁଷ କହିବାକୁ ବି ପଛାଇବି ନାହିଁ,' କହନ୍ତି ସଂଗୀତଜ୍ଞ ପ୍ରଫୁଲ୍ଲ କର।   

Rate this article:
Bad Good    
Current Rating 5.0
Post CommentsPost Comments




ପ୍ରକାଶନ ତାରିଖ: ଜୁନ 1, 2013

Photos
ଆକାଶ
ରିଆ ଦେ
ବାବୁଶାନ
ଅରିନ୍ଦମ ଓରଫ ରିଷି